ରଜ କୁଇଜ ପ୍ରତିଯୋଗିତା, ଘୁମୁସର ଅଞ୍ଚଳର ଲୁକ୍କାୟିତ କଳା ପ୍ରତିଭାଙ୍କୁ ଖୋଜି ବାହାର କରିବା ଲକ୍ଷ ।

ଭଞ୍ଜନଗର ୧୫/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )
ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଘୁମୁସର ଅଞ୍ଚଳର ଲୁକ୍କାୟିତ କଳା ପ୍ରତିଭାଙ୍କୁ ଖୋଜି ବାହାର କରିବା ଏବଂ ସେମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଛନ୍ତି।
କାର୍ଯ୍ୟକ୍ରମକୁ ଗୁରୁ କାଳୁଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭଞ୍ଜନଗର ବ୍ଲକ କଳାକାର ସଂଘର ସମ୍ପାଦକ ଜଗଦୀଶ ପାଣିଗ୍ରାହୀ, ଶିକ୍ଷକ ତଥା ବରିଷ୍ଠ ମଞ୍ଚ ସଂଯୋଜକ ଅଜିତ ପଣ୍ଡା, ଶିକ୍ଷକ ରବିନାରାୟଣ ପାତ୍ର, ସଙ୍ଗୀତ ଗୁରୁ ନାଗେଶ୍ୱର ପାତ୍ର ଓ ଦିବାକର ପ୍ରଧାନ ଉପସ୍ଥିତ ରହିଥିଲେ। ସେମାନେ ଅତିଥି ଏବଂ ବିଚାରକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।ପ୍ରତିଯୋଗିତା ସିନିୟର ଓ ଜୁନିୟର—ଏହି ଦୁଇଟି ବର୍ଗରେ ଆୟୋଜିତ ହେଉଛି। ପ୍ରଥମ ଦିନର କାର୍ଯ୍ୟକ୍ରମକୁ ସ୍ୱସ୍ତି ସୁନ୍ଦର ସିଅ ଓ ପୂଜା ପ୍ରଧାନ ପରିଚାଳନା କରିଥିଲେ।
ଆର୍‌ବିଏସ୍ କନ୍‌ସଲଟେନ୍ସିର ସହଯୋଗରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଘୁମୁସର ଅଞ୍ଚଳର କଳା, ସଂସ୍କୃତି ଓ ପ୍ରତିଭାକୁ ପ୍ରୋତ୍ସାହିତ କରିବା ସହ ନୂତନ ପ୍ରତିଭାମାନଙ୍କୁ ଆଗକୁ ଆଣିବା ଏହାର ଲକ୍ଷ୍ୟ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।ପ୍ରତିଯୋଗୀମାନଙ୍କୁ ସାଧାରଣ ଜ୍ଞାନ, ସଙ୍ଗୀତ, ନୃତ୍ୟ, ବ୍ୟକ୍ତିତ୍ୱ ଓ ପୋଷାକ ପରିଧାନ ଆଦି ବିଭାଗରେ ପ୍ରଦର୍ଶନ ଆଧାରରେ ମୂଲ୍ୟାଙ୍କନ କରାଯିବ।ସୋମବାର ଦ୍ୱିତୀୟ ଦିବସରେ ସେମିଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଦିନ ନୃତ୍ୟ ଗୁରୁ ଆଶିଷ କୁମାର, ସଙ୍ଗୀତ ନିର୍ଦ୍ଦେଶକ ଉପେନ୍ଦ୍ର ମିଶ୍ର ଓ ମଡେଲ ପ୍ରିନ୍ସ ପାତ୍ର ଅତିଥି ଏବଂ ବିଚାରକ ଭାବେ ଯୋଗଦେବେ।ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ପର୍ଯ୍ୟାୟରେ ବିଜେତା ଓ ଅନ୍ୟାନ୍ୟ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଶେଷ ଦିନରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଭଞ୍ଜନଗର ଶାଖାର ମୁଖ୍ୟ ପରିଚାଳିକା ବ୍ରହ୍ମାକୁମାରୀ ସନ୍ତୋଷିନୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଆୟୋଜକମାନଙ୍କ ଆଶା ରହିଛି ଯେ, ଏହି ପ୍ରତିଯୋଗିତା ମାଧ୍ୟମରେ ଘୁମୁସର ଅଞ୍ଚଳର ନୂତନ ପ୍ରତିଭାମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଏବଂ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପରିଚୟ ସୃଷ୍ଟି କରିପାରିବେ।

Leave a Reply

Your email address will not be published. Required fields are marked *