
ଗୁଣପୁର ୨୪/୧୦(ପୂର୍ଣ୍ଣ ଚନ୍ଦ୍ର ଶବର)କୃଷି କ୍ଷେତ୍ରରେ ରାସାୟନିକ କୀଟନାଶକର ବ୍ୟବହାର ହ୍ରାସ କରି ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟକର ଚାଷ ପଦ୍ଧତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପୋକ ପରିଚାଳନା ପାଇଁ ଜୈବିକ ଉପାଦାନ ଉତ୍ପାଦନ ସମ୍ପର୍କିତ ଏକ ଦିନିଆ ତାଲିମ ଶିବିର ଆୟୋଜିତ ହୋଇଥିଲା। ଏହି ତାଲିମରେ ବିଭିନ୍ନ ଗ୍ରାମର ଗ୍ରାମୀଣ ଯୁବକ ଓ ଯୁବତୀମାନେ ଯୋଗଦେଇ ଜୈବିକ କୀଟନାଶକ, ଜୈବିକ ଘୋଳ ଏବଂ ପ୍ରାକୃତିକ ପୋକ ନିୟନ୍ତ୍ରଣ ପ୍ରଣାଳୀ ସମ୍ପର୍କରେ ବ୍ୟବହାରିକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।ପ୍ରଶିକ୍ଷକମାନେ ନିମ୍ବ, ଦଶପର୍ଣ୍ଣୀ ଅର୍କ, ଜୀବାମୃତ, ବ୍ରହ୍ମାସ୍ତ୍ର ଓ ଅନ୍ୟାନ୍ୟ ଜୈବିକ ଉପାଦାନ ପ୍ରସ୍ତୁତି ପ୍ରଣାଳୀ, ସେଗୁଡ଼ିକର ସଠିକ ବ୍ୟବହାର ଏବଂ ଫସଲକୁ ପୋକ ଦାଉରୁ ସୁରକ୍ଷିତ ରଖିବାର ଉପାୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହ ଜୈବିକ କୃଷି ମାଧ୍ୟମରେ କୃଷକଙ୍କ ଉତ୍ପାଦନ ବ୍ୟୟ କମିବା ସହ ପରିବେଶ ସୁରକ୍ଷା ଏବଂ ମୃତ୍ତିକାର ଉର୍ବରତା ବୃଦ୍ଧିରେ ଏହାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।ଉପସ୍ଥିତ ଯୁବକ ଓ ଯୁବତୀମାନେ ଏଭଳି ତାଲିମକୁ ବେଶ ଉପଯୋଗୀ ବୋଲି ମତ ପ୍ରକାଶ କରିବା ସହ ଆଗାମୀ ଦିନରେ ଜୈବିକ ଉପାଦାନ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେବା ସହିତ କୃଷକମାନଙ୍କୁ ସହଯୋଗ କରିବେ ବୋଲି କହିଥିଲେ।
ପ୍ରତିକ୍ରିୟା: ଆୟୋଜକମାନେ କହିଛନ୍ତି ଯେ ଏଭଳି ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମୀଣ ଯୁବପିଢ଼ିଙ୍କ ମଧ୍ୟରେ ଜୈବିକ କୃଷି ପ୍ରତି ଆଗ୍ରହ ବୃଦ୍ଧି ପାଇବ ଏବଂ ସ୍ଥାୟୀ କୃଷି ବ୍ୟବସ୍ଥା ଗଠନରେ ଏହା ସହାୟକ ହେବ।
