
ଭଞ୍ଜନଗର ୧୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ୍ ଓ ତାରସିଂ ଥାନା ଅଧୀନ ଗାଲେରୀସ୍ଥିତ ପ୍ରସିଦ୍ଧ ମା’ଦଣ୍ଡକାଳୀ ମନ୍ଦିରରୁ ଗତ ୪ ତାରିଖ ବିଳମ୍ବିତ ରାତିରେ ବଡ଼ଧରଣର ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ପଶିବା ପରେ କବାଟ ତାଡ଼ି ପାଖାପାଖି ଦେବୀଙ୍କ ପ୍ରତିମୂର୍ତ୍ତି ସମେତ ଅନ୍ୟ ମୂର୍ତ୍ତି ଗୁଡ଼ିକରୁ ଏକ କୋଟି ଟଙ୍କାର ସୁନାରୁପା ଅଳଙ୍କାର, ସିିସିଟିଭି ହାର୍ଡ଼ଡିସ୍କ୍ ଏବଂ ନଗଦ ୫ ଲକ୍ଷ ଟଙ୍କା ନେଇଯାଇଥିଲେ। ପୁଲିସ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ୪ଟି ଟିମ୍ ଗଠନ ସହ ତଦନ୍ତକୁ ତ୍ବରାନ୍ବିତ କରିଛି। ତେବେ ଏଯାଏ କୌଣସି ସୁରାକ୍ ମିଳି ନଥିବା ବେଳେ ଆଜି ଭୋର୍ରେ ଗାଁ ଠାରୁ କିଛି ଦୂରରେ ଥିବା ଏକ ବିଲମାଳରୁ କଏନ୍ ଭର୍ତ୍ତି ବାଲ୍ଟି ମିଳିବା ଘଟଣାକୁ ନେଇ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି। ମାଟି ତଳେ ଏହି ବାଲ୍ଟିକୁ ପୋତାଯାଇଥିଲା। ଏଥିରେ ବିଭିନ୍ନ କଏନ୍ ସାଙ୍ଗକୁ କିିଛି ନୋଟ୍ ମଧ୍ୟ ରହିଛି। ଫଳରେ ଏହି ଟଙ୍କା ଗାଲେରୀ ମା’କାଳୀ ମନ୍ଦିରର ହୋଇଥିବା ସନ୍ଦେହ କରି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ତାରସିଂ ଥାନାଧିକାରୀ ଶୁଭଲକ୍ଷ୍ମୀ ପୁଜାରୀ ପୁଲିସ ଟିମ୍ ସହ ସେଠାରେ ପହଞ୍ଚି ଉଦ୍ଧାର ବାଲ୍ଟି ଓ ଟଙ୍କାକୁ ଜବତ କରିବା ସହ ମିଳିଥିବା ସ୍ଥାନରେ ଛାନଭିନ ଆରମ୍ଭ କରିଛନ୍ତି।
ମନ୍ଦିର ପଛ ପାର୍ଶ୍ବରୁ ପ୍ରାୟ ୧ କିମି ଦୂର ଗ୍ରାମ ନିକଟ ଦେଇ ବହିଯାଇଥିବା ନଦୀକୂଳ ନିକଟରେ ଏହି ବାଲ୍ଟି ପୋତାଯାଇଥିବା ଅବସ୍ଥାରେ ଠାବ କରାଯାଇଥିଲା। ଏକ ସୁନା ଦୋକାନ ନାମ ଲେଖାଯାଇଥିବା ଖାଲି ପର୍ସ ମଧ୍ୟ ସେଠାରୁ ମିଳିଥିଲା। ଚୋରି ପରେ ଦୁର୍ବୃତ୍ତମାନେ ନଦୀହୁଡ଼ା ରାସ୍ତା ଦେଇ ପଳାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୁଲିସ ସେହି ସ୍ଥାନରୁ ଏକ ପ୍ଲାଷ୍ଟିକ ଟ୍ରେ’ ସମେତ ଅନ୍ୟାନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ କରିଛି। ତେବେ ତଦନ୍ତ ପରେ ହିଁ ଚୋରି ସହିତ ଏସବୁ ଜିନିଷର ସଂପର୍କ ରହିଛି କି ନାହିଁ, ତାହା ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ଶ୍ରୀମତୀ ପୂଜାରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆସ୍ଥା ଓ ବିଶ୍ବାସ ସହ ଜଡ଼ିତ ଏହି ମନ୍ଦିରରୁ ଚୋରି ଘଟଣାକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ମା’କାଳୀ ହିଁ ସବୁ ରହସ୍ୟକୁ ଉନ୍ମୋଚନ କରିବେ ବୋଲି ଦୃଢ଼ତାର ସହ କହୁଥିବା ବେଳେ ଆଜି କଏନ୍ ଭର୍ତ୍ତି ବାଲ୍ଟି ମିଳିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
