ଉମରକୋଟ ଡିଏନକେ ମହାବୀର ଆସୋସିଏସନ୍ କ୍ଲବ ପକ୍ଷରୁ ଆନନ୍ଦ ଉଲ୍ଲାସରେ ଗଣେଶ ପୂଜା ପାଳନ।

ନବରଙ୍ଗ ପୁର ୧୪/୦୯ ( ଚନ୍ଦ୍ର ଶେଖର ହରିଜନ) ଉମରକୋଟ ସହରରେ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାକୁ ନେଇ ଦେଖିବାକୁ ମିଳିଛି ଉତ୍ସବମୁଖର ପରିବେଶ। ଉମରକୋଟ ସହରସ୍ଥ ଡିଏନକେ ମହାବୀର ଆସୋସିଏସନ୍ କ୍ଲବ ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।
ପୂଜା ମଣ୍ଡପରେ ପୂଜକଙ୍କ ଦ୍ୱାରା ବୈଦିକ ମନ୍ତ୍ରୋଚ୍ଚାରଣ, ମନ୍ତ୍ରପାଠ, ଘଟ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଗଜାନନଙ୍କ ସୋଡ଼ଷୋପଚାର ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ଆରମ୍ଭରୁ ହିଁ ମଣ୍ଡପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ଓ ସୁନ୍ଦର ମଣ୍ଡପ ନିର୍ମାଣ କରାଯାଇଥିଲା। ରଙ୍ଗବେରଙ୍ଗ ଆଲୋକମାଳା ଓ ସାଜସଜ୍ଜାରେ ପୂଜା ମଣ୍ଡପ ଝଲସି ଉଠିଥିଲା। ସନ୍ଧ୍ୟା ସମୟରେ ଆରତି ଓ ପୂଜା ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।
ଭକ୍ତମାନେ ପରିବାର ସହ ମଣ୍ଡପରେ ପହଞ୍ଚି ପ୍ରଭୁ ଶ୍ରୀ ଗଣେଶଙ୍କ ଦର୍ଶନ କରିବା ସହ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଭକ୍ତମାନଙ୍କ ମଧ୍ୟରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।
ପୂଜୋତ୍ସବକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁଚାରୁ ଭାବେ ପରିଚାଳନା କରିବାରେ ମହାବୀର ଆସୋସିଏସନ୍ ଗଣେଶ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ଯୁବକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏଥିସହ ପୂଜା ଅବସରରେ ଆୟୋଜିତ ଭଜନ ସନ୍ଧ୍ୟା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଆକର୍ଷଣ ବଢ଼ାଇଥିଲା। ଭଜନ ଓ ସାଂସ୍କୃତିକ ପରିବେଷଣରେ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ସମଗ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଶ୍ରଦ୍ଧାଳୁ, ଯୁବକ ଓ ଅଞ୍ଚଳବାସୀଙ୍କ ସହଯୋଗ ଦେଖିବାକୁ ମିଳିଥିଲା। ପ୍ରଭୁ ଶ୍ରୀ ଗଣେଶଙ୍କ ଆରାଧନା ମାଧ୍ୟମରେ ଅଞ୍ଚଳରେ ଭାଇଚାରା, ଏକତା ଓ ସାମାଜିକ ସଦ୍ଭାବର ବାର୍ତ୍ତା ମଧ୍ୟ ପ୍ରତିଫଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *