
ରାୟଗଡ଼ ଗୁଣୁପୁର (ପୂର୍ଣ୍ଣଚନ୍ଦ୍ର ଶବର)୧୯/୦୯/
ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ମହାବିଦ୍ୟାଳୟରେ ଆଜି ହେବାକୁ ଥିବା AEC ଇଂରାଜୀ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ପରୀକ୍ଷା ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ପରୀକ୍ଷା ବାତିଲ୍ ହୋଇଥିବା ଖବର ମିଳିଥିଲା। ଫଳରେ ଦୂରଦୂରାନ୍ତରୁ ପରୀକ୍ଷା ଦେବାକୁ ଆସୁଥିବା ଅନେକ ଛାତ୍ରଛାତ୍ରୀ ସମୟ ଓ ଯାତାୟାତ ଖର୍ଚ୍ଚର କ୍ଷତି ସହିଥିବା ଅଭିଯୋଗ କରିଛନ୍ତି।ଏହି ଘଟଣା କେବଳ ଗୁଣୁପୁର ମହାବିଦ୍ୟାଳୟରେ ସୀମିତ ନୁହେଁ, ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଅନ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏନେଇ ଅଭିଯୋଗ କରୁଥିବା ଜଣାପଡ଼ିଛି।
ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ପରୀକ୍ଷା ସମ୍ପର୍କିତ ସୂଚନା ଯଦି ସମୟ ପୂର୍ବରୁ ସ୍ପଷ୍ଟ ଭାବେ ଦିଆଯାଏ, ତେବେ ଦୂରରୁ ଆସୁଥିବା ପରୀକ୍ଷାର୍ଥୀମାନେ ଅନାବଶ୍ୟକ ଯାତାୟାତ ଓ ଖର୍ଚ୍ଚରୁ ବଞ୍ଚିପାରିବେ। ବାରମ୍ବାର ଏପରି ସମସ୍ୟା ହେଲେ ଛାତ୍ରଛାତ୍ରୀଙ୍କ ପଢ଼ାଶୁଣା ଓ ପରୀକ୍ଷା ପ୍ରସ୍ତୁତି ଉପରେ ମଧ୍ୟ ପ୍ରଭାବ ପଡ଼ୁଥିବା ସେମାନେ କହିଛନ୍ତି।
ଛାତ୍ରଛାତ୍ରୀମାନେ ଓଡ଼ିଶା ସରକାର ଏବଂ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଘଟଣାର ସ୍ପଷ୍ଟତା ଦାବି କରିବା ସହ ଆଗାମୀ ଦିନରେ ପରୀକ୍ଷା ସମ୍ପର୍କିତ ସୂଚନା ସମୟ ପୂର୍ବରୁ ଦେବାକୁ ଦାବି କରିଛନ୍ତି।
ପରୀକ୍ଷା ବାତିଲ୍ ହେବାର ପ୍ରକୃତ କାରଣ ଏବଂ ପରବର୍ତ୍ତୀ ପରୀକ୍ଷା ତାରିଖ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଧିକାରିକ ସୂଚନା ମିଳିବା ପରେ ଘଟଣାର ସ୍ପଷ୍ଟ ଚିତ୍ର ମିଳିପାରିବ।
