
ଜି . ଉଦୟଗିରି ୨୮/୦୪(ନୀଳମାଧଵ ପ୍ରଧାନ ) ଆଦିବାସୀ ମହାସଂଘ ଆହ୍ୱାନ କ୍ରମେ,ନିଖିଳ ଉତ୍କଳ କୁଇ ସମାଜ ର ସହଯୋଗ ରେ ଜି . ଉଦୟଗିରିରେ ଆୟୋଜିତ ବିରାଟ ଶୋଭାଯାତ୍ରା ରେ ଅଂଚଳ ର ସମସ୍ତ ଆଦିବାସୀ ଲୋକଙ୍କ ଭାଗୀଦାରୀ ଦେଖିବାକୁ ମିଳିଛି।
ବହୁ ସଂଖ୍ୟା ରେ ଅଂଚଳ ବାସୀ ଏକତ୍ରିତ ହୋଇ, ଆଦିବାସୀ ସମାଜ ରେ ପ୍ରକଳିତ ପାରମ୍ପରିକ ପୂଜା ଅର୍ଚନା ପରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରଥମେ ବିର୍ସା ମୁଣ୍ଡl ଓ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ଶୋଭାଯାତ୍ରା ବଜ଼ାର ପରିକ୍ରମା କରିଥିଲା l ଏହି ଶୋଭାଯାତ୍ରା ଆଦିବାସୀ ସମାଜର ଏକତା, ସଂଘବଦ୍ଧ ଶକ୍ତି ଓ ଅଧିକାର ପ୍ରତି ଅଦମ୍ୟ ସଂକଳ୍ପକୁ ଉଜାଗର କରିଛି। ପାରମ୍ପରିକ ପୋଷାକ ,ଅସ୍ତ୍ର ସସ୍ତ୍ର,ଚାଙ୍ଗୁ ବାଦ୍ୟ ଓ ବିଭିନ୍ନ ସ୍ଲୋଗାନ୍ରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଯାଇଥିଲା। ଶୋଭାଯାତ୍ରା ରେ ସହଭାଗୀମାନେ ନିଜ ଜମି, ଜଙ୍ଗଲ ଓ ଜଳ ଉପରେ ଅଧିକାର ସୁରକ୍ଷା ପାଇଁ ଦୃଢ଼ ଦାବି ଉଠାଇଥିଲେ ଏବଂ ଖଣି ଖନନ ଓ ଜମି ଅଧିଗ୍ରହଣ ପ୍ରତି କଟୁ ବିରୋଧ ପ୍ରକାଶ କରିଥିଲେ।
ବିଶେଷ କରି ସିଜିମାଳୀ ଘଟଣାକୁ ନେଇ ରlଲିରେ ଜୋରଦାର କ୍ଷୋଭ ପ୍ରକାଶ ପାଇଥିଲା। ଏହାକୁ ଆଦିବାସୀ ସମାଜର ମର୍ଯ୍ୟାଦା ଓ ଅଧିକାର ଉପରେ ନିର୍ଲଜ୍ଜ ଆଘାତ ବୋଲି ବର୍ଣ୍ଣନା କରି ଏହାର ତୀବ୍ର ନିନ୍ଦା କରାଯାଇଥିଲା। ନେତାମାନେ ସ୍ପଷ୍ଟ କରିଥିଲେ ଯେ, ସିଜିମାଳୀ ଲୋକଙ୍କୁ ନ୍ୟାୟ ଦେବା ସହିତ ଦୋଷୀମାନଙ୍କ ବିରୋଧରେ ତତ୍କାଳ କଠୋର କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ମତ ଦେଇ ଥିଲେ ।
ଶୋଭାଯାତ୍ରା ରେ ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ନାୟକ ଓ ଭୁବନେଶ୍ୱର ୟୁନିଟ ର ରାଜ୍ୟ ସଭାପତି ବିବେକାନନ୍ଦ ପ୍ରଧାନ,ସଂଯୋଜକ ଅଜୟ କୁମାର ପ୍ରଧାନ, ଯୋଗଦେଇ ଆଦିବାସୀ ସମାଜକୁ ଏକତ୍ର ହୋଇ ନିଜ ଅଧିକାର ପାଇଁ ଲଢ଼େଇ ଜାରି ରଖିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ନିଖିଳ ଉତ୍କଳ କୁଇ ସମାଜ ର ବରିଷ୍ଟ ନେତା ଶାନ୍ତନୁ କୁମାର ପ୍ରଧାନ, ମାଜିରା ପ୍ରଧାନ, ଉଦେଶନ ପ୍ରଧାନ, ଉଦ୍ଧବ ପ୍ରଧାନ, ଆମନ ପ୍ରଧାନ, ପ୍ରଦୀପ ପ୍ରଧାନ, ସନ୍ତେ ପ୍ରଧାନ ଯମେସ ପ୍ରଧାନ, ବାଲିଗୁଡା କୁଇ ସମିତି ତରଫରୁ ଉପେନ୍ଦ୍ର ପ୍ରଧାନ, ଅଭିରାମ ପ୍ରଧାନ, ଜ୍ଞାନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ଜୋରଦାର କରିଥିଲେ।
ଶେଷରେ ସରକାରଙ୍କ ନିକଟରେ ଦୃଢ଼ ଦାବି ସହ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଯଦିଓ ରlଲି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା, ତଥାପି ଅଂଚଳ ର ଗମନାଗମନ, ପାନୀୟ ଜଳ, ବାଇ ପାସ ସଡ଼କ ନିର୍ମାଣ ଇତ୍ୟାଦି କୁ ନେଇ ଆଦିବାସୀ ସମାଜର ଅସନ୍ତୋଷ ଓ କ୍ଷୋଭ ଭବିଷ୍ୟତରେ ତୀବ୍ର ଆନ୍ଦୋଳନର ସଙ୍କେତ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।
