
ଜି.ଉଦୟଗିରି,୨୧/୦୫(ନୀଳମାଧବ ପ୍ରଧାନ ) ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କୃଷୀ ବିଭାଗ, କନ୍ଧମାଳଙ୍କ ମିଳିତ ସହଯୋଗରେ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କତିଙ୍ଗିଆ ପଂଚାୟତର କିଲାପାଙ୍ଗା ଠାରେ ଧାନ ପରବର୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ପ୍ରକଳ୍ପରେ କ୍ଷେତ୍ର ଦିବସ ସହିତ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଚାଷ କରାଯାଇଥିବା ଧଳା ମଟରର ମଧ୍ୟ ଶଷ୍ୟ କାଟ ଦିବସ ପାଳିତ ହୋଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ଯୋଗଦେଇ ଚାଷୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜମିର ଉର୍ବରତାକୁ ବଢାଇବା ପାଇଁ ଅଧିକାରୀ ମାନେ ଦେଉଥିବା ପରାମର୍ଶ ଗୁଡିକୁ ମାନିବାକୁ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମରେ ଚକାପାଦ ଗୋଷ୍ଠୀ କୃଷି ଅଧିକାରୀ ନିକୁଞ ବିହାରି ନାୟକ, ସହ କୃଷି ଅଧିକାରି ପ୍ରିୟଦର୍ଶନି ମଲ୍ଲିକ ଓ କୃଷି ପରିଦର୍ଶକ କାଳିଚରଣ ସାହୁ ଯୋଗ ଦେଇ ଧାନ କାଟିବା ପୂର୍ବରୁ ବା ଧାନ କାଟିବା ପରେ କିପରି ମଟର ଓ ବିରି ଚାଷ କରାଯାଇ ପାରିବ ସେନେଇ ପ୍ରଶିକ୍ଷଣ ଦେଇଥିଲେ ଯେପରିକୀ କମ୍ ପାଣିରେ କିପରି ଫସଲ ସଠିକ ଭାବରେ ଅମଳ ହୋଇ ପାରିବ।ଏହି ଫସଲକୁ ଅଧିକଦିନ ଘରେ ସାଇତି ରଖାଯାଇ ପାରିବ ଓ ପରବର୍ତ୍ତୀ ସମୟରେ ଚାଷୀ ଚାହିଁଲେ ଅଧିକ ଦରରେ ମଧ୍ୟ ବିକ୍ରି କରି ଅଧିକ ରୋଜଗାର କରିପାରିବେ। ଏଥି ସହିତ ରୋଗ ପୋକ ପରିଚାଳନା କଥା ଦେଖିଲେ ଏହି ଚାଷ ଅଧିକ ଭଲ କାରଣ ଖରିଫ ଚାଷ ଅପେକ୍ଷା ରବି ଚାଷରେ ଫସଲ ଗୁଡିକ ପାଇଁ କମ ଭୟ ଥାଏ ତତ ସଙ୍ଗେ ସଙ୍ଗେ ଗୋଟିଏ ଜମିରୁ ଦୁଇଟି ଫସଲ ମିଳିପାରିବ ବୋଲି ମତ ବ୍ୟକ୍ତ କରିଥିଲେ।ଜମିର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଡାଲି ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଦେହକୁ ଅଧିକ ଭିଟାମିନ୍ ଓ ପୋଷଣ ମିଳିଥାଏ ବୋଲି ଆଲୋଚନା କୁହାଯାଇଥିଲା। ଅପରପକ୍ଷେ ଯଦି ଦେଖିବା ମଟର ପରିବାର ପାଇଁ ଖାଦ୍ୟ ସୁରକ୍ଷା ହିସାବରେ ମଧ୍ୟ ସହଯୋଗ କରିଥାଏ। ପୂର୍ବତନ ସରପଞ୍ଚ ଅବନେଶ୍ବର ପ୍ରଧାନ ଉପସ୍ଥିତ ରହି ଆଗାମି ଦିନରେ କିପରି ଅଧିକ ଚାଷୀ ଏହି ମଟର ଓ ବିରି ଚାଷ କରିବେ ସେ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିଥିବା ବେଳେ କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରକଲ୍ପ ବ୍ଲକ୍ ସଂଯୋଜକ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ହୃଷିକେଶ ଅମାୟତ ସହଯୋଗ କରିଥିଲେ।
