
ଜି. ଉଦୟଗିରି ୧୫/୦୭ (ନିଳମାଧବ ପ୍ରଧାନ)କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ କିଲାକିଆ ଗ୍ରାମରେ ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ବସୁଧା ଯୋଜନା ରେ ପାନୀୟ ଜଳ ଯୋଜନା ଦୀର୍ଘ ଦିନ ଧରି ଅଚଳ ହୋଇପଡ଼ିଛି। ବିଦ୍ୟୁତ ସଂଯୋଗ ଓ ଯୋଗାଣ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖାଯାଇନାହିଁ।
ଫଳସ୍ୱରୂପ, ଗ୍ରାମବାସୀମାନେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇ ଦୂରଦୂରାନ୍ତରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ଋତୁରେ ଅସ୍ୱଚ୍ଛ ଜଳ ବ୍ୟବହାର କରିବା ଫଳରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ବଢ଼ିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ବିଭାଗର ନିଷ୍କ୍ରିୟତା ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ବସୁଧା ଯୋଜନା କେବଳ ନାମକୁ ମାତ୍ର ରହିଯାଇଛି। ଜନସାଧାରଣଙ୍କ ମୌଳିକ ଅଧିକାର ଭାବେ ସୁରକ୍ଷିତ ପାନୀୟ ଜଳ ଯୋଗାଇବାରେ ସମ୍ପୃକ୍ତ ବିଭାଗଗୁଡ଼ିକର ବିଫଳତା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗକୁ ତୁରନ୍ତ ହସ୍ତକ୍ଷେପ କରି ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ସହ ବସୁଧା ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ତରଫରୁ ଦୃଢ ଦାବି କରିଛନ୍ତି।
