
ନବରଙ୍ଗପୁର୨୧/୦୮(ଚନ୍ଦ୍ରଶେଖର ହରିଜନ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସେମଳା ପଞ୍ଚାୟତର ବଡ଼ବାସିନୀ ଗ୍ରାମସ୍ଥିତ ହରିଜନ ସାହି ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ୭ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ କୋମଳମତି ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟ, ପୁଷ୍ଟି ଓ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ଚାଲୁ ରହିଥିବା ବେଳେ ଏହି ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ଚିନ୍ତାର କାରଣ ପାଲଟିଛି। କେନ୍ଦ୍ରକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ ହୋଇଯାଉଛି। ଫଳରେ ଛୋଟ ଛୋଟ ଶିଶୁଙ୍କ ସମେତ ଗର୍ଭବତୀ ମହିଳାମାନେ ମଧ୍ୟ ଅସୁବିଧାରେ ଯାତାୟାତ କରୁଛନ୍ତି। ଅନ୍ୟପକ୍ଷରେ, କେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ି ରହିଥିବାରୁ ଶିଶୁମାନଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଓ ଅଙ୍ଗନୱାଡ଼ି କର୍ମୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ସ୍ତରରେ ମଧ୍ୟ ଦୃଷ୍ଟି ଦିଆଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ ବଢ଼ିଛି। ଶିଶୁମାନଙ୍କ ସୁରକ୍ଷା ଓ ସୁଗମ ଯାତାୟାତ ପାଇଁ ତୁରନ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ପକ୍କା ରାସ୍ତା ନିର୍ମାଣ କରିବା ସହ ଅଧାପନ୍ତରିଆ ପାଚେରୀ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ସିଡିପିଓ ସଞ୍ଜୁକ୍ତା ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏ ସମ୍ପର୍କରେ ପୂର୍ବରୁ ଅବଗତ ନଥିବା କହିଥିଲେ। ଖବର ପାଇବା ପରେ ବିଡିଓଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବା ପାଇଁ ରାସ୍ତା ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଖବର ପ୍ରସାରଣ ପରେ ପ୍ରଶାସନ କେବେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଛି।
