
ଭଞ୍ଜନଗର, ୦୮/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ): ମାନବିକତା ଓ ସମ୍ବେଦନଶୀଳ ପ୍ରଶାସନର ଏକ ଉଦାହରଣ ସୃଷ୍ଟି କରି ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ୍.ଭି , ଭିନ୍ନକ୍ଷମ ଅମୂଲ୍ୟ ଗୌଡ଼ଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଜିଲ୍ଲାପାଳ ରେଡକ୍ରସ୍ ପାଣ୍ଠିରୁ ଅମୂଲ୍ୟଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ।ଭଞ୍ଜନଗର ଉପଖଣ୍ଡ ଅଧୀନ ସାନକୋଦଣ୍ଡା ପଞ୍ଚାୟତର ଗମ୍ଭାରୀଗୋଛା ଗ୍ରାମର ଅମୂଲ୍ୟ ଗୌଡ଼ ଦୀର୍ଘଦିନ ଧରି ଶାରୀରିକ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଅବସ୍ଥାରେ ରହିଆସୁଛନ୍ତି। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବାରୁ ତାଙ୍କ ଚିକିତ୍ସା ଓ ଦୈନନ୍ଦିନ ଆବଶ୍ୟକତା ପୂରଣରେ ପରିବାରକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।ଅମୂଲ୍ୟ ଙ୍କ ପରିବାର ପକ୍ଷରୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲା। ଏହାପରେ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ବିଭାଗୀୟ ପ୍ରକ୍ରିୟା ମାଧ୍ୟମରେ ଆବଶ୍ୟକ ଯାଞ୍ଚ ଓ ଡାକ୍ତରୀ ପରୀକ୍ଷା କରାଯାଇ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପାଇଁ ପ୍ରକାଶ ପାଇଛି।
ଆଜି ଜିଲ୍ଲାପାଳ କୀର୍ତ୍ତି ଭାସନ୍ ଅମୂଲ୍ୟ ଙ୍କ ପାରିବାରିକ ସମସ୍ୟା ସମ୍ପର୍କରେ ଅବଗତ ହୋଇ ତାଙ୍କୁ ୧୦ ହାଜର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ଯଥାଶୀଘ୍ର ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିବା ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିକଟରେ ଉପ ଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅର୍ଥରେ ଅମୂଲ୍ୟର ଔଷଧୀୟ ଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚରେ ସହାୟକ ହେବ ବୋଲି ଅମୂଲ୍ୟଙ୍କ ପରିବାର ତରଫରୁ କୁହାଯାଇଥିଲା । ଜିଲ୍ଲାପାଳଙ୍କ ଏହି ମାନବିକ ପଦକ୍ଷେପକୁ ଅମୂଲ୍ୟଙ୍କ ପରିବାର ସମେତ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଭିନ୍ନକ୍ଷମ ଓ ଆର୍ଥିକ ଭାବେ ଅସହାୟ ବ୍ୟକ୍ତିଙ୍କ ପ୍ରତି ପ୍ରଶାସନର ସମ୍ବେଦନଶୀଳ ଦୃଷ୍ଟିକୋଣ ସେମାନଙ୍କ ମନରେ ଆଶା ସୃଷ୍ଟି କରିଛି।
