ଗୋ ଚାଲାଣ ବେଳେ ପିକ୍‌ଅପ୍‌ ଟାୟାର ଫାଟିଲା । ୩ ବଳଦ ମୃତ, ଗୋ-ମାଫିଆ ଓ ଚାଳକ ଫେରାର ୧୪ ଗାଈ ଉଦ୍ଧାର ।

ଜଗନ୍ନାଥପ୍ରସାଦ,୦୮/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି l ଜିରାବାଡ଼ି ଗ୍ରାମ ନିକଟରେ ଗୋରୁ ବୋଝେଇ ପିକଅପ ଭ୍ୟାନ (ଓଡି୩୩ଏମ୍‌ ୦୪୦୧ )ର ଚକା ଫାଟିଯିବା ଫଳରେ ଗାଡ଼ି ଭିତରେ ସ୍ୱାସ୍ଥ୍ୟ ରୁଦ୍ଧ ହୋଇ ୩ଟି ବଳଦଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୋରୁମାନେ ଗୁରୁତର ହୋଇଛନ୍ତି l ଦୁର୍ଘଟଣା ପରେ ଗୋ-ମାଫିଆ ଓ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି l ଏହି ସମ୍ବେଦନଶୀଳ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରୀଶ ବି.ସି ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ସମୀକ୍ଷା କରିବା ସହ ସ୍ଥାନୀୟ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କ ସହ ଆଲୋଚନା କରିଛନ୍ତି l ଅନ୍ୟପଟେ ପୋଲିସ ଏହି ମାମଲାରେ କେସ୍ ନମ୍ବର ୩୪୮/୨୬ ପ୍ରକାରେ ଦଫା ୨୬,୩୦୩(୨), ୩୨୫,୩(୫), ୧୧(୧)(à)(k)ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି l
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ପିକ୍‌ଅପ୍‌ ଗାଡ଼ି ବୁଗୁଡ଼ା-ମାଣିତରା ପଥ ଦେଇ ଜଗନ୍ନାଥପ୍ରସାଦ ଆଡ଼କୁ ଆସୁଥିଲା l ଏହି ସମୟରେ ୨୧ ନମ୍ବର ରାଜ୍ୟ ରାଜପଥ ସଂଯୋଗ ସ୍ଥଳର କିଛି ବାଟ ପୂର୍ବରୁ ହଠାତ୍ ଗାଡ଼ିର ବାମ ପଟ ପଛ ଚକାଟି ଫାଟି ସମ୍ପୂର୍ଣ୍ଣ ବାହାରି ଯାଇଥିଲା l ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରେ ପ୍ରାୟ ୫୦ ମିଟର ଯାଏଁ ଘୋଷାରି ହୋଇଯାଇଥିଲା, ଯାହାଫଳରେ ପିଚୁ ରାସ୍ତା ଖୋଳି ହୋଇଯାଇଛି l ଆଗକୁ ଗତି କରିବା ଅସମ୍ଭବ ହେବାରୁ ଗୋ-ମାଫିଆମାନେ ଗିରଫ ଭୟରେ ଗାଡ଼ିଟିକୁ ରାସ୍ତା ଉପରେ ଛାଡ଼ି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ l ସକାଳୁ ସ୍ଥାନୀୟ ଲୋକେ ଗାଡ଼ି ଭିତରେ ଅତି ନୃଶଂସ ଭାବେ ଉପର ତଳ କରି ଭର୍ତ୍ତି ହୋଇଥିବା ୧୪ଟି ଗୋରୁ ଓ ଷଣ୍ଢଙ୍କୁ ଆର୍ତ୍ତଚିତ୍କାର କରୁଥିବା ଦେଖିବାକୁ ପାଇଥିଲେ l ସେମାନଙ୍କ ମଧ୍ୟରୁ ଚାପି ହୋଇ ୩ଟି ବଳଦଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ସାରିଥିଲା l ଏହାପରେ ସ୍ଥାନୀୟ ଲୋକେ ଏବଂ ଦମକଳ ବାହିନୀ ସେଠାରେ ପହଞ୍ଚି ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l

Leave a Reply

Your email address will not be published. Required fields are marked *