ବିଜେଡ଼ି କାଉନସିଲର ପ୍ରିୟମ୍ବଦାଙ୍କ ବାଜିମାତ : ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ।

ଭଞ୍ଜନଗର ୨୯ /୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ଭାବେ ବିଜେଡ଼ିର ୪ନମ୍ବର ୱାର୍ଡ କାଉନସିଲର ପ୍ରିୟମ୍ବଦା ସାମଲ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ଦିନ ବେଲଗୁଣ୍ଠା ଏନଏସିର ଉପାଧ୍ୟକ୍ଷା ପଦବୀ ପାଇଁ ଅନୁଷ୍ଠିତ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡ଼ିର ୪ନମ୍ବର ୱାର୍ଡ କାଉନସିଲର ପ୍ରିୟମ୍ବଦା ସାମଲ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିଜ ପ୍ରାର୍ଥୀପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିଥିଲେ । ତାଙ୍କର ପ୍ରାର୍ଥୀ ପତ୍ରରେ ପ୍ରସ୍ତାବକ ଭାବେ ବିଜେଡ଼ି ରୁ ଯାଇ ବିଜେପିରେ ମିଶିଥିବା ୦୨ନମ୍ବର ୱାର୍ଡ କାଉନସିଲର ଦିବ୍ୟ ରଞ୍ଜନ ଦାଶ ପ୍ରସ୍ତାବକ ରହିଥିବା ବେଳେ ସମର୍ଥକ ଭାବେ ବିଜେଡ଼ିର ୧୩ନମ୍ବର ୱାର୍ଡ କାଉନସିଲର ପ୍ରତିମା କୁମାରୀ ସ୍ୱାଇଁ ରହିଥିଲେ । ସେହିଭଳି ଦ୍ୱିତୀୟ ପ୍ରାର୍ଥୀପତ୍ରଟି ବିଜେଡ଼ିର ୧୦ନମ୍ବର ୱାର୍ଡ କାଉନସିଲର କେ.ସୁଜ୍ୟୋତି ସୁବୁଦ୍ଧି ଦାଖଲ କରିଥିଲେ । ତାଙ୍କର ପ୍ରାର୍ଥୀପତ୍ରରେ ପ୍ରସ୍ତାବକ ଭାବେ ବିଜେଡ଼ିର ୧୧ ନମ୍ବର ୱାର୍ଡ କାଉନସିଲର ସିଏଚ. ସଙ୍ଗୀତା ପାତ୍ର ରହିଥିବା ବେଳେ ସମର୍ଥକ ଭାବେ ବିଜେଡ଼ିର ୫ନମ୍ବର ୱାର୍ଡ କାଉନସିଲର କାହ୍ନୁ ଚରଣ ସାହୁ ରହିଥିଲେ । ନିର୍ଦ୍ଧାରିତ ସମୟ ଦିନ ୧୧ଟା ମଧ୍ୟରେ ଦୁଇଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ପ୍ରାର୍ଥୀପତ୍ର ଯାଞ୍ଚ ପାଇଁ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ବୁଗୁଡ଼ା ତହସିଲଦାର ତାପସ ରାଉତ(ଓଏଏସ) ଦାୟିତ୍ୱରେ ରହିଥିଲେ । ଯାଞ୍ଚ ବେଳେ ପ୍ରିୟମ୍ବଦା ସାମଲଙ୍କ ପ୍ରାର୍ଥୀପତ୍ରଟି କାୟମ ରହିଥିବା ବେଳେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ କେ .ସୁଜ୍ୟୋତି ସୁବୁଦ୍ଧିଙ୍କ ପ୍ରାର୍ଥୀପତ୍ରକୁ ନିର୍ବାଚନ ଅଧିକାରୀ ରିଜେକ୍ଟ ବା ନାକଚ କରିଥିଲେ । ଫଳରେ ବିଜେଡ଼ିର ୪ନମ୍ବର ୱାର୍ଡ କାଉନସିଲର ପ୍ରିୟମ୍ବଦା ସାମଲ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଉପାଧ୍ୟକ୍ଷା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କେ .ସୁଜ୍ୟୋତି ସୁବୁଦ୍ଧି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କ ପ୍ରାର୍ଥୀ ପତ୍ରରେ ସମର୍ଥକ ଥିବା କାହ୍ନୁ ଚରଣ ସାହୁଙ୍କ ଦସ୍ତଖତ ନ ଥିବା ଯୋଗୁଁ ତାଙ୍କ ପ୍ରାର୍ଥୀପତ୍ରଟି ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ତାପସ ରାଉତ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପ୍ରିୟମ୍ବଦା ସାମଲ ସ୍ୱଳ୍ପ ସମୟ ମଧ୍ୟରେ ସହରର ସାମୁହିକ ବିକାଶ ଦିଗରେ ଧ୍ୟାନ ଦେବା ସହ ମହିଳାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରେଇବା ଦିଗରେ ପ୍ରାଥମିକତା ଦେବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ଏନଏସିର ନୂତନ ଉପାଧ୍ୟକ୍ଷାଙ୍କୁ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ପୁଷ୍ପଗୁଛ ଦେଇ ଶୁଭେଛା ଓ ଅଭିନନ୍ଦନ ଜଣାଇଥିବା ବେଳେ ଏନଏସି ଅଧ୍ୟକ୍ଷ ଫିରୋଜ କୁମାର ସେଠୀ ଓ ଅନ୍ୟାନ୍ୟ କାଉନସିଲର ମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଏନଏସିର ପ୍ରାୟ ସମସ୍ତ କାଉନସିଲର ଉପସ୍ଥିତ ଥିବା ବେଳେ ୭ନମ୍ବର ୱାର୍ଡ କାଉନସିଲର ଟି .ବବିତା କୁମାରୀ ଅନୁପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *