ଦିଅରର ଆକ୍ରମଣରେ ଭାଉଜ ମୃତ ; ପୁତୁରା ଗୁରୁତର ।

ବେଲଗୁଣ୍ଠା (ନାରାୟଣ ପଣ୍ଡା)୦୧/୦୭, ଘରୋଇ ଅଶାନ୍ତିରୁ ଚାଲି ଯାଇଛି ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ। ଦୁଇ ପରିବାର ମଧ୍ୟରେ ହଣାକଟା ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବରଣ କରିଥିବା ମହିଳା ଜଣଙ୍କ ହେଲେ ପାଲକଷଣ୍ଢା ଗ୍ରାମର ଭାସି ପ୍ରଧାନ (୪୫)। ସେ ଗ୍ରାମରେ ଛେଳି ଚରାଇ ନିଜ ପରିବାରର ଜୀବିକା ନିର୍ବାହ କରୁଥିଲେ। ମିଳିଥିବା ଖବର ପ୍ରକାରେ କିଛି ଦିନ ହେବ ଭାସୀଙ୍କ ପରିବାର ଏବଂ ତାଙ୍କ ଦିଅର ମୁରଲୀ ପ୍ରଧାନଙ୍କ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଗ୍ରାମର କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତ କାଲି ଅର୍ଥାତ୍ ମଙ୍ଗଳବାର ଦିନ ଭାସି ପ୍ରଧାନ ଏବଂ ମୁରଲୀ ପ୍ରଧାନଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା। ଆଜି ଅପରାହ୍ନ ଚାରି ଘଣ୍ଟା ସମୟରେ ଭାସି ପ୍ରଧାନ ପାଲକଷଣ୍ଢା ଗ୍ରାମର ମନ୍ଦିର ନିକଟରେ ଥିବା ଜମିରେ ଛେଳି ଚରାଉ ଥିବା ବେଳେ ଛେଳି ପଲ ମୁରଲୀଙ୍କ ରାଶି କ୍ଷେତରେ ପଶିଯାଇଥିଲେ। ଏହାକୁ କେନ୍ଦ୍ର କରି ମୁରଲୀଙ୍କ ପରିବାର ଏବଂ ଭାସି ମଧ୍ୟରେ ପୁଣି ବଚସା ହେବା ସହିତ ଏହା ହଣାକଟାର ସୂତ୍ରପାତ ହୋଇଥିଲା। ଉଭୟ ପରିବାର ମଧ୍ୟରେ ହୋଇଥିଲା ହଣାକଟା। ଭାସିଙ୍କ ଟାଙ୍ଗିଆ ଚୋଟରେ ମୁରଲୀ ପ୍ରଧାନଙ୍କ ପରିବାର ଲୋକେ ସାମାନ୍ୟ ଆହତ ହୋଇଥିବା ବେଳେ ମୁରଲୀ ପ୍ରଧାନ, ତାଙ୍କ ସ୍ତ୍ରୀ ବିନି ଏବଂ ପୁଅ ର ମିଳିତ ଆକ୍ରମଣରେ ଭାସି ମୃତ୍ୟୁ ବରଣ କରିବା ସହ ତାଙ୍କ ପୁଅ ନାରାୟଣ (୨୨) ଗୁରୁତର ଆହତ ହୋଇଥିଲେ। କିନ୍ତୁ ଭାସି ମୃତ୍ୟୁ ବରଣ କରିଥିବା ମୁରଲୀ ପ୍ରଧାନଙ୍କ ପରିବାର ଲୁଚାଇ ସେମାନେ ଗାଙ୍ଗପୁର ଥାନାକୁ ଭାସିଙ୍କ ନାମରେ ଅଭିଯୋଗ କରିବାକୁ ଆସିଥିଲେ। କିନ୍ତୁ କୌଣସି ସୂତ୍ରରୁ ମୁରଲୀଙ୍କ ପରିବାର ଲୋକଙ୍କ ଆକ୍ରମଣରେ ଭାସି ମୃତ୍ୟୁ ବରଣ କରିଥିବା ଖବର ପୋଲିସ ଖବର ପାଇଯାଇଥିବାରୁ ପୋଲିସ୍ ବର୍ତ୍ତମାନ ମୁରଲୀ,ତାଙ୍କ ସ୍ତ୍ରୀ ଏବଂ ପୁଅକୁ ଥାନାରେ ଅଟକ ରଖିଥିବା ଜଣା ପଡ଼ିଛି। ଅନ୍ୟପଟେ ଭାସିଙ୍କ ମୃତ ଦେହ ଘଟଣା ସ୍ଥଳରେ ପଡ଼ି ରହିଥିବା ବେଳେ ଗୁରୁତର ନାରାୟଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲକୁ ପଠାଇଥିବା ଜଣା ପଡ଼ିଛି। ଘଟଣା ସ୍ଥଳକୁ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସମେତ ଗାଙ୍ଗପୁର ପୋଲିସ ବାହିନୀ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *