
ଭଞ୍ଜନଗର ୧୬/୦୫ ସହର ପ୍ରତିନିଧି ( ପି. କେଦାରନାଥ ପାତ୍ର )
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀରେ ତୈଳ ଯୋଗାଣ ବାଧାପ୍ରାପ୍ତ ହେବା କାରଣରୁ ଦେଶରେ ତୈଳ ସଂକଟ ସୃଷ୍ଟି ହୋଇଛି। ଫଳରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକରେ ମଧ୍ୟ ତାର ପ୍ରଭାବ ପଡିଛି। କେତେକ ତୈଳ ଟାଙ୍କିରେ ତୈଳ ମହଜୁଦ ନ ଥିବାରୁ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେଉଥିବା ଗାଡି ଗୁଡିକୁ ଯେପରି ପୁଲିସ୍ ଭ୍ୟାନ୍, ଦମକଳ ଏବଂ ଆମ୍ବୁଲାନ୍ସ ଗୁଡିକୁ ତେଲ (ପେଟ୍ରୋଲ ଏବଂ ଡିଜେଲ୍) ଯୋଗାଇ ଦିଆଯାଉଥିବା ବେଳେ ସାଧାରଣ ଗ୍ରାହକଙ୍କ ପାଇଁ ବାରଣ ହୋଇଛି। ତେବେ ବିଭିନ୍ନ ଟାଙ୍କିରେ ତୈଳ ମହଜୁଦକୁ ନେଇ ଭିନ୍ନ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। ଶନିବାର ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ଛକରେ ଥିବା ତେଲ ଟାଙ୍କିରେ ତେଲ ନି ମିଳିବାକୁ ନେଇ ଲୋକେ ତାତିଛନ୍ତି। ତେଲ ପ୍ରଦାନ ଦାବିରେ ଉତ୍ୟକ୍ତ ଲୋକ କିଛି ସମୟ ପାଇଁ ସହରର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପରେ ଲୋକଙ୍କୁ ତେଲ ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା।ସୁଚନାନୁସାରେ, ଭଞ୍ଜନଗର ବ୍ଲକ ବିଭିନ୍ନ ସ୍ଥାନରେ ୮ଟି ପେଟ୍ରୋଲ ପମ୍ପ ଥିବା ବେଳେ ପ୍ରଚୁର ତେଲ ମହଜୁଦ୍ ରହିଛି। ଶୁକ୍ରବାର ସକାଳୁ ଅନେକ ଟାଙ୍କିରେ ପେଟ୍ରୋଲ ସର୍ବାଧିକ ୨୦୦ ଟଙ୍କା ଓ ଡିଜେଲ ୧ ହଜାର ଟଙ୍କା ଦିଆଯାଉଥିଲା। ହେଲେ ଶନିବାର ଷ୍ଟେଟ ବ୍ୟାଙ୍କ ଛକରେ ଥିବା ପେଟ୍ରୋଲ ପମ୍ପରେ ତେଲ ପାଇଁ ଲୋକେ ଭୋର ସମୟରୁ ଧାଡିରେ ଅପେକ୍ଷାରେ କରି ରହିଥିଲେ। ଦିର୍ଘ ସମୟର ଅପେକ୍ଷା ପରେ ଲୋକ ଙ୍କୁ ତେଲ ନ ମିଳିବାରୁ ଲୋକେ ତାତି ଉତ୍ୟକ୍ତ ହୋଇ ଉଠିଥିଲେ। ପେଟ୍ରୋଲ ପମ୍ପରେ ହୋହାଲ୍ଲା କରିବା ସହ ମୁଖ୍ୟ ରାସ୍ତାରେ ଅବରୋଧ କରିଥିଲେ। ପରେ ପେଟ୍ରୋଲ ପମ୍ପରେ ଅପେକ୍ଷାରତ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା। କିନ୍ତୁ ମଧ୍ୟାହ୍ନ ପରଠାରୁ ସ୍ଥିତି ଆହୁରି ସଂଗିନ ହୋଇପଡ଼ିଥିଲା। କାଳେ ତେଲ ସରିଯିବ ବୋଲି ଟାଙ୍କି ବାହାରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। କିଛି ଟାଙ୍କିରେ ତେଲ ସରିଯାଇଥିବାରୁ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା।
