ଜିଲ୍ଲା ସ୍ତରୀୟ ସଦାଶିବ ତ୍ରିପାଠୀ ଜୟନ୍ତୀସ୍ୱାଧୀନତା ସଂଗ୍ରାମ ଓ ଆଦିବାସୀଙ୍କ ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ।

ମାଲକାନଗିରି ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ୱାଇଁ୨୧/୦୪
ମାଲକାନଗିରି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ସମାରୋହ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଡଃ ତ୍ରିପାଠୀଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଉପ-ଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ ଯେ, ଡଃ ସଦାଶିବ ତ୍ରିପାଠୀ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଆଧୁନିକ ଓଡ଼ିଶାର ଜଣେ ଦୂରଦ୍ରଷ୍ଟା ନିର୍ମାତା। ତାଙ୍କର ନିର୍ମଳ ଶାସନ ଏବଂ ସମାଜର ମଙ୍ଗଳ ପାଇଁ ତାଙ୍କର ନିଷ୍ଠା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ମହାରଣା, ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଏବଂ ଅଧ୍ୟାପକ ଡଃ ରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ଡଃ ତ୍ରିପାଠୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସେମାନେ ମିଳିତ ଭାବେ କହିଥିଲେ ଯେ, ଡଃ ତ୍ରିପାଠୀଙ୍କ ସରଳ ଜୀବନଯାପନ ଏବଂ ଶିକ୍ଷାର ପ୍ରସାର ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ଅତୁଳନୀୟ। ଜଣେ ଗାନ୍ଧୀବାଦୀ ନେତା ଭାବେ ସେ ସର୍ବଦା ନିଷ୍ପେସିତଙ୍କ ସ୍ୱର ହୋଇ ରହିଥିଲେ ଏବଂ ତାଙ୍କ ପଦାଙ୍କ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ରଞ୍ଜନ ମହାନ୍ତି ଏବଂ ହରେକୃଷ୍ଣ କୀର୍ତ୍ତନିୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି ଜୟନ୍ତୀରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *