
ଜି . ଉଦୟଗିରି, ୧୬/୦୬:(ନୀଳମାଧବ ପ୍ରଧାନ ) ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମଲିକାପୋଡ଼ି ପଞ୍ଚାୟତର ବାଡେନାଯୁସ୍ଥିତ ‘ହାପି ଭାଲି ହୋମ’ ପରିସରରେ ଏକ ତିନି ଦିନିଆ ଯୁବକ ଓ ନେତୃତ୍ୱ ସମ୍ମିଳନୀ ରବିବାର ଉଦ୍ଘାଟିତ ହୋଇଯାଇଛି। ହାପି ଭାଲି ମିନିଷ୍ଟ୍ରୀର ସଭାପତି ଆଚାର୍ଯ୍ୟ ଡଃ ସୁସଭନ କୁମାର ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଯୁବପିଢ଼ିଙ୍କ ଆଧ୍ୟାତ୍ମିକ ବିକାଶ, ନେତୃତ୍ୱ ଗୁଣର ଅଭିବୃଦ୍ଧି ଏବଂ ସମାଜ ଗଠନରେ ସେମାନଙ୍କ ଭୂମିକା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଶୋଭନ ପାତ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପାଳକ ବେନିଅନ ନାୟକ ପ୍ରାର୍ଥନା ପୂର୍ବକ ଶୁଭାରମ୍ଭ କରିଥିଲେ। ଏହାପରେ ସଙ୍ଗୀତ ଦଳ ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। ଭକ୍ତି ଓ ଆନନ୍ଦମୟ ପରିବେଶ ମଧ୍ୟରେ ଉପସ୍ଥିତ ମୁଖ୍ୟ ବକ୍ତା ଓ ଅତିଥିମାନଙ୍କୁ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ହାପି ଭାଲି ମିନିଷ୍ଟ୍ରୀର ସମ୍ପାଦିକା ବନବାସିନୀ ରାଉତଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ଏହି ସମ୍ମିଳନୀକୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଏହି ସମ୍ମିଳନୀରେ ମହାରାଷ୍ଟ୍ରରୁ ଆପୋଷ୍ଟଲ ଡଃ ଅଭିଷେକ ରୋଜର୍ସ ଏବଂ ଛତିଶଗଡ଼ରୁ ପ୍ରଫେଟ ସନି କୁରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେମାନେ ବାଇବଲର ‘ଜିଖରିୟ ୪:୨’ ଆଧାରିତ ମୂଳ ପ୍ରସଙ୍ଗ ଉପରେ ଆଲୋଚନା କରି, ଉପସ୍ଥିତ ବିଶ୍ୱାସୀମାନଙ୍କୁ ଆଧ୍ୟାତ୍ମିକ ଜୀବନରେ ଅଗ୍ରଗତି କରିବା, ବିଶ୍ୱାସରେ ଦୃଢ଼ ରହିବା ଓ ଈଶ୍ୱରଙ୍କ ଉଦ୍ଦେଶ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ପ୍ରେରଣା ଦେଇଥିଲେ। ସେହିପରି ସିମିଳିଗୁଡାରୁ ଆସିଥିବା ସଙ୍ଗୀତ ଗାୟକ ଓ ଉପାସକ ପାଳକ ଚେତନ ଏସ୍. ନାୟକ ନିଜର ଆଧ୍ୟାତ୍ମିକ ସଙ୍ଗୀତ ମାଧ୍ୟମରେ ସମଗ୍ର ପରିବେଶକୁ ଭକ୍ତିମୟ କରିଥିଲେ।
ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜର ସମ୍ପାଦକ ଆମନ ଚନ୍ଦ୍ର ନାୟକ ଯୋଗଦେଇ ଯୁବପିଢ଼ିଙ୍କୁ ସମାଜସେବା, ନେତୃତ୍ୱ ଓ ନୈତିକ ମୂଲ୍ୟବୋଧ ପ୍ରତି ସଚେତନ ହେବାକୁ ଆହ୍ୱାନ ଜଣାଇଥିଲେ। ଏହି ସମ୍ମିଳନୀରେ ଅଞ୍ଚଳର ବହୁ ସଂଖ୍ୟକ ଯୁବକ-ଯୁବତୀ ଓ ବିଶ୍ୱାସୀ ଯୋଗ ଦେଇଛନ୍ତି। ଆଗାମୀ ଦୁଇ ଦିନ ଧରି ଏଠାରେ ବିଭିନ୍ନ ଆଧ୍ୟାତ୍ମିକ ବାର୍ତ୍ତା, ନେତୃତ୍ୱ ପ୍ରଶିକ୍ଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯାହା ଯୁବପିଢ଼ିଙ୍କୁ ଭବିଷ୍ୟତର ଦାୟିତ୍ୱବାନ ନେତା ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
