ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ପେଣ୍ଟାରେ ମଡେଲ୍ ସଂସଦ ଅନୁଷ୍ଠିତଜିଲ୍ଲାସ୍ତରୀୟ ମଡେଲ୍ ସଂସଦ ପାଇଁ ୮ ଛାତ୍ରଛାତ୍ରୀ ମନୋନୀତ ।

ପେଣ୍ଟା, ୧୪/୧୦ (ମହେନ୍ଦ୍ର କନ୍ଧପାଣି)ରାୟଗଡ଼ା ଜିଲ୍ଲାର ପେଣ୍ଟାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ମଡେଲ୍ ସଂସଦ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମଡେଲ୍ ସଂସଦ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତା, ଯୁକ୍ତି ଉପସ୍ଥାପନ ଓ ସାମାଜିକ ସମସ୍ୟା ପ୍ରତି ସଚେତନତା ବୃଦ୍ଧି ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଥିଲା।
ବିଦ୍ୟାଳୟର ୨୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୮ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ମଡେଲ୍ ସଂସଦ ପାଇଁ ମନୋନୀତ ହୋଇଥିବାରୁ ବିଦ୍ୟାଳୟରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା।
କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରଛାତ୍ରୀମାନେ ଶପଥ ଗ୍ରହଣ କରିବା ପରେ ଅଧିବେଶନ ଆରମ୍ଭ ହୋଇଥିଲା। ସଂସଦୀୟ ପରମ୍ପରା ଅନୁଯାୟୀ ଶାସକ ଦଳ ଓ ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଆଲୋଚନା ପରେ ଧ୍ୱନିମତରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ ହୋଇଥିଲା।
ଗୃହୀତ ବିଲ୍‌ଗୁଡ଼ିକ ମଧ୍ୟରେ ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା, ବିଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା, ବିଦ୍ୟାଳୟ ଅଞ୍ଚଳକୁ ତମାଖୁମୁକ୍ତ ଘୋଷଣା କରିବା, ପରିବେଶ ଅନୁକୂଳ ଗ୍ରାମ ଗଠନ ଏବଂ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ସମ୍ପର୍କିତ ବିଲ୍ ଅନ୍ତର୍ଭୁକ୍ତ ଥିଲା।
ଅନ୍ୟପକ୍ଷରେ, ବିରୋଧୀ ଦଳର ନେତା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଘୋଷଣା ଓ ଆଲୋଚନା ହେଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ଉଠାଇଥିଲେ। ଅନେକ ନିଷ୍ପତ୍ତି କେବଳ କାଗଜପତ୍ର ଓ ଭାଷଣରେ ସୀମିତ ରହିଯାଉଥିବା ନେଇ ସେ ପ୍ରଶ୍ନ ଉଠାଇ ଶାସକ ଦଳକୁ ଜବାବଦେହି କରିଥିଲେ। ଏହି ଯୁକ୍ତିତର୍କ ମଡେଲ୍ ସଂସଦକୁ ଅଧିକ ଜୀବନ୍ତ ଓ ଆକର୍ଷଣୀୟ କରିଥିଲା।
ଏହି କାର୍ଯ୍ୟକ୍ରମର ପରିକଳ୍ପନା, ସଂଳାପ ଓ ଲିଖିତ ସ୍କ୍ରିପ୍ଟ ପ୍ରସ୍ତୁତି ସହ ଛାତ୍ରଛାତ୍ରୀଙ୍କୁ ଅଭ୍ୟାସ କରାଇବା ଓ ନିର୍ଦ୍ଦେଶନା ଦେବାରେ ଶିକ୍ଷୟିତ୍ରୀ ଅମ୍ବିକା ସେଠୀ, କୁଜିନ୍ଦ୍ର ମେଲେକା ଓ ସୁଶୀଳା ମିଶ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ମଡେଲ୍ ସଂସଦ ମାଧ୍ୟମରେ ଛାତ୍ରଛାତ୍ରୀମାନେ କେବଳ ସଂସଦୀୟ ପ୍ରକ୍ରିୟା ବିଷୟରେ ଜ୍ଞାନ ଆହରଣ କରିନଥିଲେ, ବରଂ ନାଗରିକ ଦାୟିତ୍ୱବୋଧ, ଯୁକ୍ତିଯୁକ୍ତ ଚିନ୍ତନ, ପରିବେଶ ସୁରକ୍ଷା ଓ ସାମାଜିକ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଶିକ୍ଷା ଲାଭ କରିଥିଲେ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ଛାତ୍ରଛାତ୍ରୀମାନେ ଅଧିକ ପ୍ରସ୍ତୁତି ସହ ଅଂଶଗ୍ରହଣ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *