
ଆସିକା, ୨୬/୦୮( ଅମରେନ୍ଦ୍ର କୁମାର ପଟ୍ଟନାୟକ )
ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏକ ମାସ ମଧ୍ୟରେ ଘଟିଥିବା ସିରିଜ ଡକାୟତି ଓ ରାସ୍ତାରେ ଅଟକାଇ ଲୁଟ ଘଟଣାରେ ଆସିକା ପୁଲିସକୁ ବଡ଼ ସଫଳତା ମିଳିଛି। ଆସିକା ଥାନା ଅଧୀନ ପାକଲାପଲ୍ଲୀ ନିକଟସ୍ଥ ଏରଗୋଲା ବସାରୁ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଏ. ନରେଶ ପ୍ରଧାନ (୩୨)।
ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୭.୫ କିଲୋଗ୍ରାମ ବିଭିନ୍ନ ପ୍ରକାରର ରୁପା ଅଳଙ୍କାର ଏବଂ ୬୦ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି। ଏହା ସହିତ ଗୋଟିଏ ବାଇକ ମଧ୍ୟ ପୁଲିସ ଜବତ କରିଛି। ଜବତ ସୁନା ଓ ରୁପା ଅଳଙ୍କାରର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ବୋଲି ପୁଲିସ ସୂଚନା ଦେଇଛି।
ମଙ୍ଗଳବାର ରାତିରେ ଆସିକା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆସିକା ଏସ୍ଡିପିଓ ସୌରଭ ରଞ୍ଜନ ପ୍ରଧାନ, ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଓ ରାଜେଶ କୁମାର ସେଠୀ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।
ସୂଚନା ଅନୁସାରେ, ଗତ ଜୁଲାଇ ୨୨ରୁ ଅଗଷ୍ଟ ୨୨ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସିରିଜ ଲୁଟ ଘଟଣା ଘଟିଥିଲା। ଅଭିଯୁକ୍ତମାନେ କୁଳିଅଣା ଥାନା ଅଞ୍ଚଳରେ ଏକ ଜୁଏଲାରୀ ଦୋକାନରୁ ସୁନାରୁପା ଅଳଙ୍କାର ଲୁଟ କରିଥିବା ଅଭିଯୋଗ ରହିଛି। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ବସୁଥିବା ହାଟରୁ ବ୍ୟବସାୟ ସାରି ଫେରୁଥିବା ଅଳଙ୍କାର ବ୍ୟବସାୟୀମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ନିକଟରେ ଥିବା ସୁନା ଓ ରୁପା ଅଳଙ୍କାର ଲୁଟ କରାଯାଇଥିଲା।
ମୋରଡା ଥାନା ଅଞ୍ଚଳରେ ଏଭଳି ଦୁଇଟି ଲୁଟ ଘଟଣା ଘଟିଥିବା ବେଳେ ଝାରପୋଖରିଆ ଓ ଯଶିପୁର ଥାନା ଅଞ୍ଚଳରେ ଗୋଟିଏ ଲେଖାଏଁ ଘଟଣା ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଘଟଣାର ତଦନ୍ତ ପାଇଁ ମୟୁରଭଞ୍ଜ ପୁଲିସ ପକ୍ଷରୁ ଆସିକା ଏସ୍ଡିପିଓ ସୌରଭ ରଞ୍ଜନ ପ୍ରଧାନଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏସ୍ଡିପିଓଙ୍କ ନେତୃତ୍ୱରେ ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ ଓ ଅତିରିକ୍ତ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ଜେନାଙ୍କୁ ନେଇ ତିନୋଟି ଟିମ୍ ଗଠନ କରାଯାଇଥିଲା। ଆସିକା ଓ ମୟୁରଭଞ୍ଜ ପୁଲିସର ମିଳିତ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ ଅଳଙ୍କାର ଜବତ କରାଯାଇଛି।
ତେବେ ଏହି ଘଟଣାରେ ଆହୁରି ୪ରୁ ୫ ଜଣ ଅଭିଯୁକ୍ତ ଏବେ ସୁଦ୍ଧା ପୁଲିସ କବଜାକୁ ଆସିନଥିବା ଜଣାପଡ଼ିଛି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସର ତଦନ୍ତ ଓ ଚଢ଼ାଉ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ପୂର୍ବେ ଛତିଶଗଡ଼ର ସୀତାପୁର ଥାନା ଅଞ୍ଚଳରେ ଏକ ବଡ଼ ଜୁଏଲାରୀ ଦୋକାନ ଲୁଟ ଘଟଣାରେ ମଧ୍ୟ ସୀତାପୁର ପୁଲିସ ଆସିକା ପୁଲିସ ଉପଖଣ୍ଡ ର ସୋରଡ଼ା ଥାନା ଅଞ୍ଚଳରୁ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନାରୁପା ଅଳଙ୍କାର ଉଦ୍ଧାର କରିଥିଲା। ଏହି ଘଟଣାରେ କୋଟନଡ଼ା ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି l
