ଭଞ୍ଜନଗରରେ ଗୁଟ୍‌ଖା କଳାବଜାରଅସାଧୁ ବ୍ୟବସାୟୀଙ୍କୁ ସୁହାଇଛି ନିଷେଧାଦେଶ।

ଜନତା ଖବର ଟିଭି ବ୍ୟୁରୋ ରାଜ୍ୟରେ ସିଗାରେଟ, ଗୁଟଖା, ପାନମସଲା, ମାୱାମସଲା, ଖଇନି, ଜର୍ଦ୍ଦା, ତମାଖୁ ସହ ନିକୋଟିନ ଯୁକ୍ତ ସମସ୍ତ ପ୍ରକାର ସାମଗ୍ରୀର ବିକ୍ରି ଓ ପ୍ରସ୍ତୁତି ଉପରେ ସରକାର ନିଷେଧାଦେଶ ଜାରି କରିବା ପରେ ଭଞ୍ଜନଗରରେ ଏହାର କଳାବଜାର ଆରମ୍ଭ ହୋଇଯାଇଛି। ଯାହା କିଛି ବ୍ୟବସାୟୀଙ୍କ ପାଇଁ ପୁଷମାସ ପାଲଟିଯାଇଛି। ବ୍ୟବସାୟୀମାନେ ବିଭିନ୍ନ ନାମୀଦାମୀ କମ୍ପାନୀର ଗୁଟ୍‌ଖା ଓ ପାନ ମସଲାକୁ ୩ ଗୁଣ ଦରରେ ବିକ୍ରି ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ଗୁଟଖା ପ୍ୟାକେଟ ସହ ମାଗଣାରେ ଦିଆଯାଉଥିବା ଜର୍ଦ୍ଦା ପ୍ୟାକେଟ ଏବେ ୫ ଟଙ୍କାରେ ବିକୁଛନ୍ତି। ସେହିପରି ଚଢଉ ଭୟରେ ବ୍ୟବସାୟୀମାନେ ବଜାରରୁ ନକଲି ମାୱା ମସଲା ଓ ପାନମସଲା ଉଭାନ କରିଦେଇଛନ୍ତି। ଭଞ୍ଜନଗର ସହର ସମେତ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର ପାନମସଲା,ଗୁଟଖା, ଖଇନି, ମାୱାମସଲା ବିକ୍ରି ହେଉଛି। ସରକାରୀ ନିୟମର ଖୋଲା ଉଲଂଘନ କରି କେତେକ ଅସାଧୁ ବ୍ୟବସାୟୀ ଗୁଟ୍‌ଖା ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରିବାସହ ଚଢ଼ା ଦରରେ ଏହାକୁ ବିକ୍ରିକରି ମାଲାମାଲ୍ ହେଉଛନ୍ତି ସୁପ୍ରିମକୋର୍ଟ ଓ ଫୁଡ୍ ସେଫ୍‌ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫଏସଏସଏଆଇ)ଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୨୧ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ସମସ୍ତ ଗୁଟ୍‌ଖା, ପାନମସଲା, ଜର୍ଦ୍ଦା, ଖଇନି ଓ ତମାଖୁ ବା ନିକୋଟିନ୍‌ଯୁକ୍ତ ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହାର ସୁଯୋଗ ନେଇ ଭଞ୍ଜନଗରର କେତେକ ବେପାରୀ ରାତାରାତି କୋଟିପତି ହେବା ନିଶାରେ ଚଢ଼ାମୂଲ୍ୟରେ ଗୁଟ୍‌ଖା ବିକ୍ରି କରିଚାଲିଛନ୍ତି। ଅନ୍ୟ ରାଜ୍ୟରୁ ଚୋରାରେ ଟ୍ରକ୍ ଟ୍ରକ୍ ଗୁଟ୍‌ଖା ଆଣି ଏହି ବେପାରୀମାନେ ରାତି ଅଧରେ ଛୋଟ ଛୋଟ ଦୋକାନୀଙ୍କୁ ବିକ୍ରି କରୁଥିବା ଜଣାପଡ଼ିଛି। ସହରର ଗଳିକନ୍ଦିରେ ଥିବା ପାନ ଦୋକାନରୁ କ୍ୟାବିନ୍ ପର୍ଯ୍ୟନ୍ତ ସବୁଠି ବେଆଇନ ଭାବେ ଗୁଟଖା ଉପଲବ୍‌ଧ ହେଉଛି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିଷେଧାଦେଶର ସୁଯୋଗ ନେଇ ଏହି ବ୍ୟବସାୟୀମାନେ ଅତି ଚଢ଼ାଦରରେ ଗୁଟ୍‌ଖା ବିକ୍ରି କରିଚାଲିଛନ୍ତି। କେବଳ ଏତିକି ନୁହେଁ, ଗୁଟ୍‌ଖା ଓ ଅନ୍ୟ ତମାଖୁ ସାମଗ୍ରୀ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ବ୍ୟବସାୟୀମାନେ ଅଧିକ ମୁନାଫା ଆଶାରେ ନକଲି ଓ ନିମ୍ନମାନର ଗୁଟ୍‌ଖା ମଧ୍ୟ ବଜାରକୁ ଛାଡ଼ୁଥିବା ଅଭିଯୋଗ ହୋଇଛି। ଏହା ଜନସ୍ବାସ୍ଥ୍ୟ ପାଇଁ ଚିନ୍ତାର କାରଣ ସାଜିବା ସହ ବଡ଼ ବିପଦ ସୃଷ୍ଟି କରିପାରେ। ଏହି ବେଆଇନ କାରବାର ଉପରେ ରୋକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ବିଭାଗ ଛୋଟ ବଡ଼ ଦୋକାନ ଉପରେ ଚଢ଼ଉ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *