ମାଲକାନଗିରିରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ।ସଫଳ ସରପଞ୍ଚମାନେ ସମ୍ବର୍ଦ୍ଧିତ।

ମାଲକାନଗିରି୨୪/୪ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁ
ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଗ୍ରାମୀଣ ସ୍ୱୟଂ ଶାସନ ଏବଂ କ୍ଷମତାର ବିକେନ୍ଦ୍ରୀକରଣକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଇଥାଏ। ୧୯୯୩ ମସିହା ଏହି ଦିନରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନ କାର୍ଯ୍ୟକାରୀ ହୋଇଥିଲା, ଯାହା ପଞ୍ଚାୟତଗୁଡ଼ିକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବା ସହ ଭାରତରେ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଦିବସ ଅବସରରେ ମାଲକାନଗିରି ଜିଲ୍ଲାରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଗରିବ ଓ ନିରାଶ୍ରୟ ପରିବାରକୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲାରେ ସର୍ବମୋଟ ୯୧୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରି କାର୍ଯ୍ୟାଦେଶ ବଣ୍ଟନ ପାଇଁ ଚୟନ କରାଯାଇଥିବା ସୂଚନା ମିଳିଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସିଡିଓ ଶ୍ରୀ ସରାବୁ ସମସ୍ତ ଅତିଥି ଓ ଜନସାଧାରଣଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ସମାରୋହରେ ଅତିଥିମାନେ ପଞ୍ଚାୟତିରାଜର ସଶକ୍ତିକରଣ ଓ ଗ୍ରାମୀଣ ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ । ମୁଖ୍ୟ ଅତିଥି ତଥା ବିଧାୟକ ଶ୍ରୀ ମାଡ଼କାମୀ ନିଜ ବକ୍ତବ୍ୟରେ କହିଥିଲେ, ଗ୍ରାମର ସର୍ବାଙ୍ଗୀନ ବିକାଶ ହିଁ ପ୍ରକୃତ ବିକାଶ। ପଞ୍ଚାୟତ ପ୍ରତିନିଧିମାନେ ହେଉଛନ୍ତି ଗଣତନ୍ତ୍ରର ମୂଳଦୁଆ। ସରକାରଙ୍କ ପ୍ରତ୍ୟେକଟି ଉନ୍ନୟନମୂଳକ ଯୋଜନାକୁ ଲୋକଙ୍କ ପାଖରେ ସ୍ୱଚ୍ଛତା ଓ ନିଷ୍ଠାର ସହ ପହଞ୍ଚାଇବା ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ତାଙ୍ଗୁଲୁ କହିଥିଲେ, ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ଭୂମିକା ଆଜି ଅଗ୍ରଣୀ ସ୍ଥାନ ଗ୍ରହଣ କରିଛି। ତୃଣମୂଳ ସ୍ତରରୁ ନେତୃତ୍ୱ ନେଇ ଆମ ସରପଞ୍ଚ ଓ ସମିତି ସଭ୍ୟାମାନେ ଗ୍ରାମାଞ୍ଚଳର ପରିବର୍ତ୍ତନ ଆଣିବାରେ ମୁଖ୍ୟ ବାହକ ସାଜିଛନ୍ତି।ସେହିପରି ଜିଲ୍ଲାପାଳ ପଞ୍ଚାୟତରାଜ ବ୍ୟବସ୍ଥାରେ ବିସ୍ତୃତ ଭାବେ ବର୍ଣ୍ଣନା କରି କହିଥିଲେ, ଭାରତୀୟ ସମ୍ବିଧାନର ପ୍ରମୁଖ ସ୍ଥପତି ଡଃ. ବି. ଆର. ଅମ୍ବେଦକର ଆମ ଦେଶରେ ସମାନତା ଓ ସାମାଜିକ ନ୍ୟାୟର ଯେଉଁ ମୂଳଦୁଆ ପକାଇଥିଲେ, ତାହାକୁ ଆଗକୁ ନେବାରେ ପଞ୍ଚାୟତିରାଜ ବ୍ୟବସ୍ଥାର ବଡ଼ ଭୂମିକା ରହିଛି। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି। ସମ୍ବିଧାନର ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଗରିବ ଲୋକଙ୍କ ପାଖରେ ଗୃହ ତଥା ରୋଜଗାର ଯୋଜନା ପହଞ୍ଚାଇବା ଜିଲ୍ଲା ପ୍ରଶାସନର ପ୍ରମୁଖ ଲକ୍ଷ୍ୟ । ସେ ଆହୁରି ମଧ୍ୟ କହିଥିଲେ ଯେ ପଞ୍ଚାୟତିରାଜ ଦିବସର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ସ୍ୱାବଲମ୍ବନଶୀଳତା। ଗରିବ ଲୋକଙ୍କ ପାଖରେ ଗୃହ ତଥା ରୋଜଗାର ଯୋଜନା ପହଞ୍ଚାଇବା ଜିଲ୍ଲା ପ୍ରଶାସନର ପ୍ରମୁଖ ଲକ୍ଷ୍ୟ। ସରପଞ୍ଚମାନଙ୍କର ଏହି ନିଷ୍ଠାପର ଉଦ୍ୟମ ଜିଲ୍ଲାର ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବ।ଏହି ସମାରୋହରେ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସରପଞ୍ଚମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗ୍ରାମୀଣ ଗୃହ ଯୋଜନାରେ ଶତ ପ୍ରତିଶତ ଘର ସମ୍ପୂର୍ଣ୍ଣ କରିଥିବାରୁ ତଣ୍ଡିକି ସରପଞ୍ଚ ବାବୁଲା ପଡ଼ିଆମୀ, ବୋଡ଼ିଗେଟା ସରପଞ୍ଚ ଲିଲି ସୋଡୀ ଓ ଦୋରଗୁଡ଼ା ସରପଞ୍ଚ ଭଗବତୀ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଲ୍ଲେଖନୀୟ ଶ୍ରମ ଦିବସ ସୃଷ୍ଟି କରି ଲୋକଙ୍କୁ କାମ ଯୋଗାଇଥିବାରୁ ସୋମନାଥପୁର ସରପଞ୍ଚ ମଞ୍ଜୁଳା ସିସା, ପୋଡାଘାଟ ସରପଞ୍ଚ ଗୁରା ମଲାଲି ଏବଂ ଟିଗଲ ସରପଞ୍ଚ ଆମୀ କୁଞ୍ଜଙ୍କୁ ମଧ୍ୟ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସଫଳତାର ସହ ପରିଚାଳନା କରିଥିଲେ। ଶେଷରେ ମାଲକାନଗିରି ବିଡିଓ ତପନ ସେନାପତି ଉପସ୍ଥିତ ସମସ୍ତ ଅତିଥି, ସରପଞ୍ଚ ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଓ ମାଲକାନଗିରି ବ୍ଲକ୍ କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ସମସ୍ତେ ରାଜ୍ୟ ସ୍ତରୀୟ ପଞ୍ଚାୟତରାଜ ଦିବସକୁ ଭର୍ଚୁଆଲ ମାଧ୍ୟମରେ ଦେଖିଥିଲେ।

Leave a Reply

Your email address will not be published. Required fields are marked *