
କୃଷ୍ଣପ୍ରସାଦ( ପିଙ୍କୁନ୍ ଜେନା )୩୧/୦୫ ଅସୁମାରୀ ସ୍ୱପ୍ନ ଆଉ ଦୃଢ଼ ମନୋବଳ ଆଗରେ ଗରିବୀ କେବେବି ବାଧକ ସାଜିପାରିବ ନାହିଁ, ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି କୃଷ୍ଣପ୍ରସାଦ ବ୍ଲକ ବଳଭଦ୍ରପୁର ଗ୍ରାମର ରାଜଶ୍ରୀ ଜାଲି। ସଦ୍ୟ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷା ଫଳାଫଳରେ ୧୬୨ତମ ସ୍ଥାନ ଅଧିକାର କରି ରାଜଶ୍ରୀ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ରାଜଶ୍ରୀଙ୍କ ଜୀବନ କାହାଣୀ ଯେତିକି ମର୍ମସ୍ପର୍ଶୀ, ସେତିକି ପ୍ରେରଣାଦାୟକ। ବାଲ୍ୟକାଳରୁ ମୁଣ୍ଡ ଉପରୁ ପିତୃଛାୟା ହଟିଯିବା ପରେ ପରିବାରର ସମସ୍ତ ବୋଝ ତାଙ୍କ ମାଆ ମଲ୍ଲୀ ଜାଲିଙ୍କ ଉପରେ ପଡ଼ିଥିଲା। ମାଆ ଜଣେ ଦିନମଜୁରିଆ ଭାବେ କାମ କରି, କଠିନ ପରିଶ୍ରମ ଓ ଝାଳବୁହା ଅର୍ଥରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ସଂକଳ୍ପ ନେଇଥିଲେ। ପିଲାଦିନର ସେହି ଅଭାବ ଅନାଟନ ରାଜଶ୍ରୀଙ୍କୁ ଅଧିକ ପରିଶ୍ରମୀ କରି ଗଢ଼ି ତୋଳିଥିଲା। ଗାଁ ସ୍କୁଲରୁ ଦଶମ ପାସ୍ କରିବା ପରେ ରାଜଶ୍ରୀ ସାତପଡ଼ା ମହାବିଦ୍ୟାଳୟରୁ ନିଜର ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ, ପାଠପଢ଼ା ଜାରି ରଖିବା ସହ ସେ ନୟାଗଡ଼ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ଦିନସାରା ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ପରେ, ସନ୍ଧ୍ୟାରେ ନିଜସ୍ୱ ପ୍ରସ୍ତୁତି ପାଇଁ ସମୟ ବାହାର କରୁଥିଲେ। ସବୁଠାରୁ ବଡ଼ କଥା ହେଉଛି, କୌଣସି ଦାମୀ କୋଚିଂ ସେଣ୍ଟର କିମ୍ବା ଘରୋଇ ଟ୍ୟୁସନର ସହାୟତା ନ ନେଇ, ସେ କେବଳ ଆତ୍ମବିଶ୍ୱାସ ଓ ସ୍ୱ-ଅଧ୍ୟୟନ ବଳରେ ଏହି ମହାନ ସଫଳତା ହାସଲ କରିଛନ୍ତି ଏହି ସଫଳତା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ରାଜଶ୍ରୀଙ୍କ ଘରେ ପହଞ୍ଚି ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି। ରାଜଶ୍ରୀ ନିଜର ଏହି ସଫଳତାର ଶ୍ରେୟ ନିଜ ମାଆ ଏବଂ ନିରନ୍ତର ସାଧନାକୁ ଦେଇଛନ୍ତି। ଆଗାମୀ ଦିନରେ ଓଡ଼ିଶା ପ୍ରଶାସନର ଅର୍ଥ ବିଭାଗ ରେ କାର୍ଯ୍ୟ କରି ରାଜ୍ୟର ବିକାଶରେ ନିଜର ଯୋଗଦାନ ଦେବାକୁ ସେ ଆଶା ରଖିଛନ୍ତି।
ରାଜଶ୍ରୀଙ୍କ ଏହି ସଫଳତା ପ୍ରମାଣ କରେ ଯେ, ଯଦି ଇଚ୍ଛାଶକ୍ତି ଦୃଢ଼ ହୁଏ, ତେବେ ଗରିବୀ କେବେବି ସଫଳତାର ବାଟ ଓଗାଳି ପାରିବ ନାହିଁ। ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ସେ ଏକ ନୂଆ ଆଶାର ଆଲୋକ ହୋଇଛନ୍ତି।
