
ଘୁ.ଉଦୟଗିରି ୧୦/୦୯(ନିଳମାଧବ ପ୍ରଧାନ)କନ୍ଧମାଳ: ଦଳିତ ଓ ଆଦିବାସୀ ମହିଳାଙ୍କ ଜୀବିକା ନିର୍ବାହ, ଉଦ୍ୟୋଗ ବିକାଶ, ଆର୍ଥିକ ସ୍ୱାବଲମ୍ବନ ଏବଂ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଉଦ୍ଦେଶ୍ୟରେ
ଘୁ.ଉଦୟଗିରି ବ୍ଲକ(ନୀଳମାଧଵ ପ୍ରଧାନ )ପ୍ରେକ୍ଷାଳୟଠାରେ ଏନ.ସି.ଏଚ.ଆର୍ (ନ୍ୟାସନାଲ କ୍ୟାମ୍ପେନ ଅନ ଦଳିତ ହ୍ୟୁମାନ ରାଇଟ୍ସ)ପକ୍ଷରୁ ଏକ ଦିନିକିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଦଳିତ ଓ ଆଦିବାସୀ ମହିଳାମାନେ କିପରି ବିଭିନ୍ନ ସରକାରୀ ଯୋଜନାର ସୁଫଳ ପାଇବା ସହ ସାମାଜିକ, ଆର୍ଥିକ ଓ ନ୍ୟାୟିକ ସୁବିଧା ହାସଲ କରିପାରିବେ, ସେ ସମ୍ପର୍କରେ ତାଲିମ ଓ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା।
ଦଳିତ ଓ ଆଦିବାସୀ ମହିଳାମାନେ ଉତ୍ପାଦନ ସମ୍ବଳ, ବଜାର ସୁବିଧା, ଆର୍ଥିକ ସେବା, ଜୀବିକାର ସୁଯୋଗ, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନୁଷ୍ଠାନିକ ସହାୟତା ପାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାଗୁଡ଼ିକର ସମାଧାନ କରି ସେମାନଙ୍କ ପାଇଁ ସ୍ଥାୟୀ ଆୟର ସୁଯୋଗ ସୃଷ୍ଟି କରିବା ଏବଂ ଜୀବନଧାରଣର ମାନ ବୃଦ୍ଧି କରିବା ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ମହିଳାମାନେ କୃଷିକାର୍ଯ୍ୟ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଜଙ୍ଗଲଭିତ୍ତିକ ଜୀବିକା, ପଶୁପାଳନ, କ୍ଷୁଦ୍ର ବ୍ୟବସାୟ, ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ଅଣସଂଗଠିତ କ୍ଷେତ୍ରରେ ନିଜର ଦକ୍ଷତା ବିକାଶ କରି ଆତ୍ମନିର୍ଭରଶୀଳ ହେବା ସହ ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବେ ବୋଲି ଆଲୋଚନା କରାଯାଇଥିଲା।
ଅନ୍ୟପକ୍ଷରେ, ଅନେକ ଯୋଗ୍ୟ ପରିବାର ଓ ବ୍ୟକ୍ତି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ତଥା ସାମାଜିକ ସୁରକ୍ଷା ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରୁନାହାନ୍ତି। ଯୋଜନା ସମ୍ପର୍କରେ ସଚେତନତାର ଅଭାବ, ଆବଶ୍ୟକୀୟ କାଗଜପତ୍ର ସଂଗ୍ରହରେ ଅସୁବିଧା, ଆବେଦନ ପ୍ରକ୍ରିୟା ସମ୍ପର୍କରେ ଅଜ୍ଞତା ଏବଂ ସରକାରୀ ବିଭାଗଗୁଡ଼ିକ ସହ ସମନ୍ୱୟର ଅଭାବ ଏହାର ପ୍ରମୁଖ କାରଣ ବୋଲି ଆଲୋକପାତ କରାଯାଇଥିଲା।
ଏହି ସମସ୍ୟାର ସମାଧାନ ଦିଗରେ ପଞ୍ଚାୟତିରାଜ ଅନୁଷ୍ଠାନ, ନାଗରିକ ସମାଜ ସଂଗଠନ, ସାମାଜିକ ସଂଗଠନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ। ସମୁଦାୟସ୍ତରରେ ସଚେତନତା ସୃଷ୍ଟି, ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ, ଆବେଦନ ପ୍ରକ୍ରିୟାରେ ସହଯୋଗ ଏବଂ ସରକାରୀ ବିଭାଗ ସହ ସମନ୍ୱୟ ସ୍ଥାପନ ମାଧ୍ୟମରେ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଞ୍ଚୟ, ଋଣ ସୁବିଧା, ସାମୂହିକ ଉଦ୍ୟୋଗ ଏବଂ ଜୀବିକା ବିକାଶ କାର୍ଯ୍ୟକୁ ଆଗେଇ ନେବା ସହ ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ଜାତୀୟ ପ୍ରକଳ୍ପ ସଂଯୋଜିକା କଳ୍ପନା ବିଶ୍ୱକର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଏଲଏମ୍ର ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅକ୍ଷୟ କୁମାର ପ୍ରଧାନ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରୋଜାଲିନ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ପୂର୍ଣ୍ଣବାସୀ ଦାସ, ସ୍ୱାକର ସମ୍ପାଦକ ହୃଷିକେଶ ପ୍ରଧାନ, ଜିଲ୍ଲା ମହିଳା ମହାସଂଘର ସଭାନେତ୍ରୀ କୁମଦିନି ଦିଗାଲ ଏବଂ ରାଜ୍ୟ ସଂଯୋଜିକା ସବିତା ବୀର ପ୍ରମୁଖ ଯୋଗଦେଇଥିଲେ।
ଆଠଟି ପଞ୍ଚାୟତର ୱାର୍ଡ଼ ମେମ୍ବର, ସିଆରପି, ଏମବିକେ ଓ ଏସଏଚଜିର ଶତାଧିକ ମହିଳା ମହିଳା ଉପସ୍ଥିତ ଥିଲେ।
ଦଳିତ ଓ ଆଦିବାସୀ ମହିଳାଙ୍କୁ ଜୀବିକାର ସୁଯୋଗ, ସରକାରୀ ଯୋଜନାର ସୁବିଧା ଏବଂ ଆବଶ୍ୟକୀୟ ଅନୁଷ୍ଠାନିକ ସହଯୋଗ ଯୋଗାଇ ଦେବା ମାଧ୍ୟମରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଏହି ତାଲିମ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତପ୍ରକାଶ ପାଇଥିଲା।
