ନିଜ ପରମ୍ପରାକୁ ଭବିଷ୍ୟତ ପିଢ଼ି ଆଗକୁ ବଢ଼ାନ୍ତୁ: ଜିଲ୍ଲାପାଳ।

ଭଞ୍ଜନଗର, ୧୨/୦୫ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ): ଭଞ୍ଜନଗରର ତ୍ରିବାର୍ଷିକ ଠାକୁରାଣୀ ଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଗତକାଲି ପ୍ରବଳ ବର୍ଷା ଓ ପବନ ସତ୍ତ୍ବେ ଆଜି ସହସ୍ରାଧିକ ଶ୍ରଦ୍ଧାଳୁ ଦେବୀଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଜି ରାତିରେ କବି ସମ୍ରାଟ ରଙ୍ଗମଞ୍ଚରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ଆର୍‌କେ ଅର୍କେଷ୍ଟ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିସହ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ଶାରୀରିକ କୌଶଳ ପ୍ରଦର୍ଶିତ ‌ହୋଇଥିଲା।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଘୁମୁସର ମାଟିର କଳା, ସାହିତ୍ୟ ଓ ସଂସ୍କୃତି ଅନନ୍ୟ। ଆଉ ଏହି ମାଟିର ପ୍ରାଚୀନ ପରମ୍ପରାକୁ ଏହି ଐତିହାସିକ ଠାକୁରାଣୀ ଯାତ୍ରା ବହନ କରିଆସୁଛି। ତେଣୁ ଆଗାମୀ ପିଢ଼ି ଆଧୁନିକତାକୁ ଯେତେ ଆପଣାଇଲେ ବି ନିଜର ପରମ୍ପରାକୁ ଆଗକୁ ବଢ଼ାଇବା ସେମାନଙ୍କ ନୈତିକ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥି‌ଲେ।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପାଶା ପାରୁଲ ଓ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ସ୍ୱାଗତ ଭାଷଣ ପ୍ରଦାନ ଓ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟପକ୍ଷେ ଶୁକ୍ରବାର ଦେବୀ ଅସ୍ଥାୟୀମଣ୍ଡପରୁ ପୂର୍ବ ମୁଖ ହୋଇ ବାହାରିବା ପରେ ପୁରୁଣାବଜାର ସାହି, ଡେରା ସାହି, କୋରା ପଟ୍ଟନାୟକ ସାହି, ବଡ଼ଧୋବା ସାହି ଓ ମହାନ୍ତି ସାହି ଆଦି ପରିକ୍ରମା କରିଥିଲେ।

Leave a Reply

Your email address will not be published. Required fields are marked *