ଅବସର ଦିନରେ ହିଁ ଫାଇନାଲ ପେନସନ ପ୍ରଦାନ : ବେଲଗୁଣ୍ଠା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଭିନବ ପଦକ୍ଷେପ।

ବେଲଗୁଣ୍ଠା,୩୧/୦୭ (ନାରାୟଣ ପଣ୍ଡା) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଏକତାଳର ବରିଷ୍ଠ ଶିକ୍ଷକ ଆଦିତ୍ୟ ପ୍ରସାଦ ଜେନା ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ, ବେଲଗୁଣ୍ଠା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ଅବସର ଦିନରେ ହିଁ ଶ୍ରୀ ଜେନାଙ୍କୁ ଫାଇନାଲ ପେନସନ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପ୍ରଦାନ କରା ଯାଇଥିଲା। ଏହି ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ଶ୍ରୀ ଜେନାଙ୍କ ଦୀର୍ଘ ଓ ନିଷ୍ଠାପର କର୍ମମୟ ଶିକ୍ଷକ ଜୀବନକୁ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କର ସୁସ୍ଥ, ସୁଖମୟ ଓ ମଙ୍ଗଳମୟ ଅବସରପ୍ରାପ୍ତ ଜୀବନ କାମନା କରିଥିଲେ। ସେହିପରି ଶିକ୍ଷା କ୍ଷେତ୍ର ପ୍ରତି ତାଙ୍କର ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ମଧ୍ୟ ବେଲଗୁଣ୍ଠା ବ୍ଲକର ଚାରିଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅବସର ଦିନରେ ହିଁ ଫାଇନାଲ ପେନସନ ପ୍ରଦାନ କରାଯାଇଥିଲା। ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ କୌଣସି ପ୍ରକାର ହଇରାଣ ନକରି ସମୟୋପଯୋଗୀ ଭାବେ ପେନସନ ସୁବିଧା ଯୋଗାଇ ଦେବା ଦିଗରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏହି ପଦକ୍ଷେପ ସମସ୍ତ ମହଲରେ ପ୍ରଶଂସା ସାଉଁଟିଛି। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏହି ପ୍ରଶାସନିକ ଦକ୍ଷତା ଓ କର୍ମଚାରୀ-ବlନ୍ଧବ ପଦକ୍ଷେପକୁ ବେଲଗୁଣ୍ଠା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଭୂୟସୀ ପ୍ରଶଂସା କରିଥିବା ବେଳେ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହାକୁ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *