ଉତ୍ତର ବନଖଣ୍ଡରେ ପକ୍ଷୀ ଗଣନାଭଞ୍ଜନଗର ୧୮/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସମେତ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ଏନେଇ ୩୮ଟି ଟିମ୍‌ ଗଠନ କରାଯାଇଥିଲା। ସେମାନେ ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା କରିଥିଲେ। ସକାଳ ୬ ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆଉ କିଛି ନୂଆ ପକ୍ଷୀ ଗଣନା ସମୟରେ ଠାବ କରାଯାଇଛି। ଏଥିସହ ପ୍ରଥମ ଥର ପାଇଁ ଏହି ବନଖଣ୍ଡକୁ ବହୁ ପରିମାଣରବିଦେଶାଗତ ପକ୍ଷୀ ଆସିଛନ୍ତି। ଗାର୍ଡଓ୍ବାଲ, କିଙ୍ଗ ଫିସର, କମନ ପୋଚାରଡ୍‌, ଲେଶନ ଓ୍ବିସଲିଙ୍ଗ ଡକ୍ସ, କମନ କିଙ୍ଗ,ହ୍ବାଇଟ୍‌ ବ୍ରେଷ୍ଟେଡ୍‌ କିଙ୍ଗ ଭଳି ଅନେକ ବିଦେଶାଗତ ପକ୍ଷୀ ପ୍ରଥମଥର ପାଇଁ ଏହି ବନଖଣ୍ଡରେ ଦେଖାଦେଇଛି। ଏହି ବନଖଣ୍ଡ ଅଞ୍ଚଳରେ ଥିବା ଆର୍ଦ୍ରଭୂମି ଅଞ୍ଚଳରେ ଉକ୍ତ ପକ୍ଷୀଗୁଡ଼ିକ ଆଜି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ଏହି ସମୟରେ ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ ସଂପୃକ୍ତ ଅଞ୍ଚଳର ଜଳବାୟୁ, ମାଟି ଓ ପାଣି ଜାଣିବା ପାଇଁ ଏହି ଗଣନା ହେଉଛି। ଏହାକୁ ଦେଖି ପକ୍ଷୀମାନଙ୍କ ସୁରକ୍ଷା ସହ ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ ବି ପଦକ୍ଷେପ ନିଆଯାଉଛି। ଆଜକୁ ଦୁଇ ବର୍ଷ ହେବ କଲେଜ ଛାତ୍ରୀଛାତ୍ର ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି। ଏହାଦ୍ବାରା ଛାତ୍ରୀଛାତ୍ରଙ୍କ ଗବେଷଣାତ୍ମକ ଜ୍ଞାନ ବୃଦ୍ଧି ହେଉଛି। ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପକ୍ଷୀ ଗଣନା ହୋଇଥିଲା। ପକ୍ଷୀ ଗଣନା ଆଜି ଶାନ୍ତି ଶୃଙ୍ଖଳାର ସହ ସରିଛି।
ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ବିବେକ ଦାସ, ବିମଳ ପ୍ରଧାନ, ମୂଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ଗାଲେରୀ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ତାରସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ପକ୍ଷୀଗଣନାରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *